ଭଲ, ମନ୍ଦ କୋଇଲି ଓ ପେଟ-ଚିନ୍ତା

ଭଲ, ମନ୍ଦ କୋଇଲି ଓ ପେଟ-ଚିନ୍ତା ।

ଶ୍ରୀ ମଧୁସୂଦନ ସ୍ଵାଈଁ

 

ଭଲ କୋଇଲି ।

( ପ ଠାରୁ ଅଂଅ ନିୟମରେ । )

କୋଇଲି ଲୋ, ଅଗଣା ଭିତରେ ଭଲ କୂଅ

ଅଯୋଗ୍ୟ ନ ହେବା ଭଲ ଯେଉଁପରି ପୁଅ ଲୋ କୋଇଲି

। ୧ ।

କୋଇଲି ଲୋ, ଆଉଜି ବସିବା ଭଲ ହୋଏ

ଆଖୁଦୋରୁଅରେ ପିଠାଖିଆ ମନ୍ଦ ନୋହେ ଲୋ କୋଇଲି

। ୨ ।

କୋଇଲି ଲୋ, ଇଟାଘରେ ବାସ ଭଲ ହୋଏ

ଇଂରାଜୀରେ କଥା କହିବାର ମନ୍ଦ ନୋହେ ଲୋ କୋଇଲି

। ୩ ।

କୋଇଲି ଲୋ, ଈଶ୍ୱର ଭଜନ ଭଲ ହୋଏ

ଇଶାନକୋଣରେ ବଢ଼ା ଘର ମନ୍ଦ ନୋହେ ଲୋ କୋଇଲି

। ୪ ।

କୋଇଲି ଲୋ, ଉଚିତ ବିଚାର ଭଲ ହୋଏ

ଉଷାକାଳେ ସ୍ନାନ କରିବାର ମନ୍ଦ ନୋହେ ଲୋ କୋଇଲି

। ୫ ।

କୋଇଲି ଲୋ, ଊର୍ଦ୍ଧ୍ୱେ ନ ବସିବା ଭଲ ହୋଏ

ଊର୍ଦ୍ଧ୍ୱରେତା ସେବା କରିବାର ମନ୍ଦ ନୋହେ ଲୋ କୋଇଲି

। ୬ ।

କୋଇଲି ଲୋ, ଋଟି ରାତ୍ରେ ଖିଆ ଭଲ ହୋଏ

ଋଣ ପରିଶୋଧ କରିବାର ମନ୍ଦ ନୋହେ ଲୋ କୋଇଲି

। ୭ ।

କୋଇଲି ଲୋ, ଋପଟି ସୁନ୍ଦର ଭଲ ହୋଏ

ଋପହୀନ ପୂଜାକାଳେ ହେବା ମନ୍ଦ ନୋହେ ଲୋ କୋଇଲି

। ୮ ।

କୋଇଲି ଲୋ, ଌଜାର ପରାୟେ ଭଲ କଟୀ

ଌପରି ନୋହିଲେ ଭଲ ପାଣିଭଉଁରୀ ଟି ଲୋ କୋଇଲି

। ୯ ।

କୋଇଲି ଲୋ, ୡଚାଇ ଖାଇବା ଭଲ ହୋଏ

ୡଣପାଣି ସକାଳରେ ଖିଆ ମନ୍ଦ ନୋହେ ଲୋ କୋଇଲି

। ୧୦ ।

କୋଇଲି ଲୋ, ଏକଅନ୍ନେ ଥିବା ଭଲ ହୋଏ

ଏକଗ୍ରାମେ ବାସ କରିବାର ମନ୍ଦ ନୋହେ ଲୋ କୋଇଲି

। ୧୧ ।

କୋଇଲି ଲୋ, ଐରି ଐରି ହେବା ଭଲ ହୋଏ

ଐଣ୍ଠା ପରହାତେ ଉଠାଇବା ମନ୍ଦ ନୋହେ ଲୋ କୋଇଲି

। ୧୨ ।

କୋଇଲି ଲୋ, ଓଳଗିବା ବଡ଼େ ଭଲ ହୋଏ

ଓଲମ ଧରିଣ କାନ୍ଥ ଦେବା ମନ୍ଦ ନୋହେ ଲୋ କୋଇଲି

। ୧୩ ।

କୋଇଲି ଲୋ, ଔଷଧ ରୋଗରେ ଭଲ ହୋଏ

ଔଷଧକୁ ପାଖେ ରଖିଥିବା ମନ୍ଦ ନୋହେ ଲୋ କୋଇଲି

। ୧୪ ।

କୋଇଲି ଲୋ, ଅଂଗରଖା ପିନ୍ଧା ଭଲ ହୋଏ

ଅଂଗରକ୍ଷକ ଯେ ପାଶେ ଥିବା ମନ୍ଦ ନୋହେ ଲୋ କୋଇଲି

। ୧୫ ।

କୋଇଲି ଲୋ, ଅଦା ଲୁଣ ଖିଆ ଭଲ ହୋଏ

ଅଜା ମାଂସ ଭଲ ହୋଏ ମଧୁସ୍ୱାଇଁ କହେ ଲୋ କୋଇଲି

। ୧୬ ।

ଭଲ କୋଇଲି ସମ୍ଫୂର୍ଣ୍ଣ ।

 

ମନ୍ଦ କୋଇଲି ।

( ଅ ଠାରୁ ଅଂଅ ନିୟମରେ )

କୋଇଲି ଲୋ, ଅଣଶଣ ଘର ମନ୍ଦ ହୋଏ

ଅଜୀର୍ଣ୍ଣରେ ଭୋଜନ କରିବା ଭଲ ନୋହେ ଲୋ କୋଇଲି

। ୧ ।

କୋଇଲି ଲୋ, ଆଣ୍ଠୁକୁଡ଼ା ହେବା ମନ୍ଦ ହୋଏ

ଆଦର ନ ଥାଇ ଯେ ଭୋଜନ ଭଲ ନୋହେ ଲୋ କୋଇଲି

। ୨ ।

କୋଇଲି ଲୋ, ଇତର-ସଂସର୍ଗ ମନ୍ଦ ହୋଏ

ଇଙ୍ଗିତ କରିବା ବାପ ମାଏ ଭଲ ନୋହେ ଲୋ କୋଇଲି

। ୩ ।

କୋଇଲି ଲୋ, ଈଶ ନ ମାନିଲେ ମନ୍ଦ ହୋଏ

ଈଶ ବିନା ଲଙ୍ଗଳଟା କାର୍ଯ୍ୟେ ଭଲ ନୋହେ ଲୋ କୋଇଲି

। ୪ ।

କୋଇଲି ଲୋ, ଉଞ୍ଚକପାଳୀ ସ୍ତ୍ରୀ ମନ୍ଦ ହୋଏ

ଉକୁଟିବା ପାତ୍ରେ ଗ୍ରାସ କରା ଭଲ ନୋହେ ଲୋ କୋଇଲି

। ୫ ।

କୋଇଲି ଲୋ, ଊର୍ଦ୍ଧ୍ୱକୁ ଚାହିଁବା ମନ୍ଦ ହୋଏ

ଊର୍ଦ୍ଧ୍ଵରୁ ଖସିବା ଶୀଘ୍ର ଶୀଘ୍ର ଭଲ ନୋହେ ଲୋ କୋଇଲି

। ୬ ।

କୋଇଲି ଲୋ, ଋଣୀ ହୋଇବାର ମନ୍ଦ ହୋଏ

ୠଗୁ ୠଗୁ ପୋଡ଼ିବାର ସଦା ଭଲ ନୋହେ ଲୋ କୋଇଲି

। ୭ ।

କୋଇଲି ଲୋ, ୠପହୀନ ଯୁବା ମନ୍ଦ ହୋଏ

ୠପ ଅସୁନ୍ଦର ଦେଖାଗଲେ ଭଲ ନୋହେ ଲୋ କୋଇଲି

। ୮ ।

କୋଇଲି ଲୋ, ଌହା ନ ପୋଡ଼ିଲେ ମନ୍ଦ ହୋଏ

ଌହୁ ପୋଛି କାନ୍ଦିବାରେ କେଭେଁ ଭଲ ନୋହେ ଲୋ କୋଇଲି

। ୯ ।

କୋଇଲି ଲୋ, ୡଟିଆଳ ରାଜା ମନ୍ଦ ହୋଏ

ୡରି ପରଘରେ ଶୁଆ କେଭେଁ ଭଲ ନୋହେ ଲୋ କୋଇଲି

। ୧୦ ।

କୋଇଲି ଲୋ, ଏକବାଗୀ ଲୋକ ମନ୍ଦ ହୋଏ

ଏକାଦଶୀରେ ଆହାର କରା ଭଲ ନୋହେ ଲୋ କୋଇଲି

। ୧୧ ।

କୋଇଲି ଲୋ, ଐକ୍ୟରେ ନ ଥିବା ମନ୍ଦ ହୋଏ

ଐରିଘର ପାଶେ ଘର କରା ଭଲ ନୋହେ ଲୋ କୋଇଲି

। ୧୨ ।

କୋଇଲି ଲୋ, ଓଲୁ ସଙ୍ଗେ ସଙ୍ଗ ମନ୍ଦ ହୋଏ

ଓଲାଉଠା ରୋଗେ ଡରିବାର ଭଲ ନୋହେ ଲୋ କୋଇଲି

। ୧୩ ।

କୋଇଲି ଲୋ, ଔଷଧେ ଔଷଧ ମନ୍ଦ ହୋଏ

ଔଷଧ ଯେ ପ୍ରତିଦିନ ଖାଏ ଭଲ ନୋହେ ଲୋ କୋଇଲି

। ୧୪ ।

କୋଇଲି ଲୋ, ଅଂଗୁଳିରେ ଠରା ମନ୍ଦ ହୋଏ

ଅଂଶୀଦାର ବ୍ୟବସାୟେ କେଭେଁ ଭଲ ନୋହେ ଲୋ କୋଇଲି

। ୧୫ ।

କୋଇଲି ଲୋ, ଅଘଟଘଟାଈ ମନ୍ଦ ହୋଏ

ଅନ୍ଧାରୁଆ ଘର ମନ୍ଦ ମଧୁସ୍ୱାଇଁ କହେ ଲୋ କୋଇଲି

। ୧୬ ।

ମନ୍ଦ କୋଇଲି ସମ୍ଫୂର୍ଣ୍ଣ ।

 

ପେଟ-ଚିନ୍ତା ।

ରାଗ ଖଣ୍ଡିତା ।

ପେଟ ପାଇଁ ଲୋକମାନେ କରୁଛନ୍ତି ନାଟ

ପେଟ ପାଇଁ ଲୋକମାନେ କହୁଛନ୍ତି ହାଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ବକୁଛନ୍ତି ଭାଟ ହେ

। ୧ ।

ପେଟ ପାଇଁ ଲୋକମାନେ ଚାଲୁଛନ୍ତି ବାଟ

ପେଟ ପାଇଁ ମହାରଣା କୁନ୍ଦୁଥାଏ ଜାଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ହୋଏ ହାଣକାଟ ହେ

। ୨ ।

ପେଟ ପାଇଁ ଲୋକମାନେ ପଢ଼ୁଛନ୍ତି ପାଠ

ପେଟ ପାଇଁ ଲୋକମାନେ କାଟୁଛନ୍ତି କାଠ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ କେ ସିଅଁଇ ମାଠ ହେ

। ୩ ।

ପେଟ ପାଇଁ ଲୋକମାନେ ମୁଣ୍ଡାଅନ୍ତି ପଟ

ପେଟ ପାଇଁ ଲୋକମାନେ କାଟୁଛନ୍ତି ପଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ହୋନ୍ତି ଛଟପଟ ହେ

। ୪ ।

ପେଟ ପାଇଁ କେତେଲୋକ ବୁଣୁଛନ୍ତି ପାଟ

ପେଟ ପାଇଁ ଲୋକେ ବନ୍ଦ କରୁଛନ୍ତି ଫାଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ବୁଣୁଛନ୍ତି ତାଟ ହେ

। ୫ ।

ପେଟ ପାଇଁ କେହି କେହି ଜଗୁଅଛି ଘାଟ

ପେଟ ପାଇଁ କେତେ ଲୋକ ପଢ଼ାଅନ୍ତି ପାଠ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ହୋଏ ମୁଣ୍ଡକାଟ ହେ

। ୬ ।

ପେଟ ପାଇଁ କେତେ ଲୋକ ଗଢ଼ନ୍ତି କବାଟ

ପେଟ ପାଇଁ କେହି କେହି ଗଢ଼ଇ ଚୌକାଠ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ହୁଏ ଲୁଟପାଟ ହେ

। ୭ ।

ପେଟ ପାଇଁ ଲୋକମାନେ ବିକୁଛନ୍ତି ଝୋଟ

ପେଟ ପାଇଁ ବ୍ୟବସାୟେ ଯାନ୍ତି ଚଢ଼ି ଓଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ କେ ସିଅଇଁ କୋଟ ହେ

। ୮ ।

ପେଟ ପାଇଁ ଗଉଡ଼େ ଯେ ଜଗୁଛନ୍ତି ଗୋଠ

ପେଟ ପାଇଁ କେହି କେହି ଜଗୁଅଛି କୋଠ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ କେ ଧରେ କା ଓଠ ହେ

। ୯ ।

ପେଟ ପାଇଁ କେ ପଢ଼ଇ ଓକୀଲାତୀ ପାଠ

ପେଟ ପାଇଁ ପଢ଼ଇ କେ ଡାକତରୀ ପାଠ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ବକଇ କେ ଶାଠ ହେ

। ୧୦ ।

ପେଟ ପାଇଁ କେହି କେହି ପୋତଇ ଯେ ଖୁଣ୍ଟ

ପେଟ ପାଇଁ ଭାଜଇ କେ ମୁଢ଼ି ଚୁଡ଼ା ବୁଣ୍ଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ହୋଏ ଡାଲଘୁଣ୍ଟ ହେ

। ୧୧ ।

ପେଟ ପାଇଁ ଲୋକମାନେ ଚଳାନ୍ତି ଶକଟ

ପେଟ ପାଇଁ କେତେ ଲୋକ ସିଉଁଛନ୍ତି ପଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ କରେ କେ ଆକଟ ହେ

। ୧୨ ।

ପେଟ ପାଇଁ କେ ପିଟଇ କାହାର ଲଲାଟ

ପେଟ ପାଇଁ ଗୃହ ଛାଡ଼ି ଗଲା କେ କର୍ଣ୍ଣାଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ବ୍ୟାଘ୍ର ଛେଳି ଭେଟ ହେ

। ୧୩ ।

ପେଟ ପାଇଁ ଗଢ଼ୁଅଛି କେହି କେହି ଖଟ

ପେଟ ପାଇଁ କେତେ ଲୋକ ଗଢ଼ୁଛନ୍ତି ଘଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ଚଳଇ କପଟ ହେ

। ୧୪ ।

ପେଟ ପାଇଁ କେଉଁ ଲୋକ ଝାଡ଼ୁ କରେ ମଠ

ପେଟ ପାଇଁ କେତେ ଘରେ ଲାଗେ ଭଟ ଭଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ଗଢ଼େ କେ କରାଟ ହେ

। ୧୫ ।

ପେଟ ପାଇଁ କେତେ କେତେ ହୋଇଛନ୍ତି ଖଣ୍ଟ

ପେଟ ପାଇଁ କେହି କେହି ଗଢ଼ୁଛନ୍ତି ଘଣ୍ଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ କେ ଦିଅଇ କଣ୍ଟ ହେ

। ୧୬ ।

ପେଟ ପାଇଁ କେହି କେହି ଖାଉଅଛି ଛାଟ

ପେଟ ପାଇଁ କେହି କେହି ସଜାଅନ୍ତି ଥାଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ଭ୍ରମେ ମଧୁଲିଟ ହେ

। ୧୭ ।

ପେଟ ପାଇଁ କେ କରଇ ଅବାଟରେ ବାଟ

ପେଟ ପାଇଁ କରଇ କେ ଅତୁଠରେ ତୁଠ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ଲଗାଏ କେ ହଟ ହେ

। ୧୮ ।

ପେଟ ପାଇଁ କେହି କେହି ଚୋରିକରେ ନୋଟ

ପେଟ ପାଇଁ ଲୋକେ କାହା ନାମେ ଦ୍ୟନ୍ତି ଭୋଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ କେହୁ କରେ ମୋଟ ହେ

। ୧୯ ।

ପେଟ ପାଇଁ କେହୁ କରେ ଭଲ ମନ୍ଦ ଫେଣ୍ଟ

ପେଟ ପାଇଁ ଗଢ଼ଇ କେ ଅସ୍ତ୍ରର ଯେ ବେଣ୍ଟ

ପେଟ ଶ୍ରେଷ୍ଠ ହେ

ପେଟ ଲାଗି ହୋନ୍ତି ଭେଟାଭେଟ ହେ

। ୨୦ ।

ପେଟ ପାଇଁ କରଇ କେ ଚାମର ଆଲଟ

ପେଟ ପାଇଁ ହେଉଛନ୍ତି ଓଲଟପାଲଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ଗଢ଼ଇ କେ ଫୁଟ

। ୨୧ ।

ପେଟ ପାଇଁ କେହି କେହି ଚଳାଉଛି ବୋଟ

ପେଟ ପାଇଁ କେହି କେହି ଚଢ଼ାଉଛି ପୋଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ଗଢ଼ଇ କେ ସ୍ଲେଟ ହେ

। ୨୨ ।

ପେଟ ପାଇଁ କେ ବଣିଆ ଗଡ଼େ ଖଡ଼ୁ ଗୋଠ

ପେଟ ପାଇଁ ଗଢ଼ଇ କେ ମହାରଣା ବୋଟ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ହେଲାଣି କେ ଧିଟ ହେ

। ୨୩ ।

ପେଟ ପାଇଁ କେହି କେହି ଚିତ୍ରେ ଚିତ୍ରପଟ

ପେଟ ପାଇଁ କରଇ କେ କ୍ଷର ମୁଖ ଓଠ

ପେଟ ଶ୍ରେଷ୍ଠ ହେ

ପେଟ ପାଇଁ ମଧୁସ୍ୱାଈଁ ହଟ ହେ

। ୨୪ ।

 

 

ବିଶେଷ ଦ୍ରଷ୍ଟବ୍ୟ ।

ଏଠାରେ ଓଡ଼ିୟା, ଇଂରାଜୀ ଓ ଦେବନାଗର ଅକ୍ଷରରେ ଗ୍ରାହକମାନଙ୍କ ମନୋମତ ସମସ୍ତପ୍ରକାର ଛାପାକାର୍ଯ୍ୟ ସୁଚାରୁରୂପେ ଓ ଅବିଳମ୍ଭେ ଯୋଗାଇବାର ସୁବନ୍ଦୋବସ୍ତ ହୋଇଅଛି ।

ଏ ପ୍ରେସରେ ମୁଦ୍ରିତ ହୋଇଥିବା ପୁସ୍ତକ ଛଡ଼ା ଏଠାରେ ଅନ୍ୟାନ୍ୟ ସ୍ଥାନର ପୁସ୍ତକମାନଙ୍କ ଅଭାବ ହେତୁ ଅନେକ ଗ୍ରାହକ ପତ୍ର ଲେଖି ସମସ୍ତ ପୁସ୍ତକ ପ୍ରାପ୍ତ ନ ହୋଇ ଦୁଃଖିତ ହେଉଥିଲେ । ବର୍ତ୍ତମାନ ଉକ୍ତ ଅସୁବିଧା ଦୂରୀକରଣାର୍ଥ କି ଏଠା ପୁସ୍ତକ କି ଅନ୍ୟାନ୍ୟ ସ୍ଥାନର ଉତ୍କଳଭାଷାର ସକଳ ପ୍ରକାର ସାଧାରଣ ପାଠ୍ୟ ଓ ସ୍କୁଲ ପାଠ୍ୟପୁସ୍ତକ ଏଠାରେ ବିକ୍ରୟାର୍ଥ ପ୍ରସ୍ତୁତ ରହିଅଛି ।

ଏତତ୍‌ଭିନ୍ନ ଶିଶୁ ଡ୍ରିଲ ଶିକ୍ଷା-ଏଥିରେ ସୁକୁମାରମତି ବାଳକମାନଙ୍କୁ ସୂକ୍ଷ୍ମରୂପେ ବୁଝାଇ ଦିଆ ଯାଇଅଛି ଏବଂ ତଦନୁରୂପ ଚିତ୍ର ସହିତ ଏହି ପ୍ରେସରେ ଛାପା ହୋଇଅଛି । କାଗଜ ଓ ଛାପା ଉତ୍କକୃଷ୍ଟ । ମୂଲ୍ୟ ଟ ୦/୩

ସଚିତ୍ର ପ୍ରସ୍ତାବସିନ୍ଧୁ- ଭକ୍ତକବି ଶ୍ରୀ ଦୀନକୃଷ୍ଣ ଦାସଙ୍କ ବରଚିତ ଏହି ଗ୍ରନ୍ଥ ନାନାସ୍ଥାନରେ ମୁଦ୍ରିତ ହୋଇ ଥିଲେହେଁ ତାହାର ଆବଶ୍ୟକୀୟ ସ୍ଥାନମାନଙ୍କରେ ଚିତ୍ରର ଅଭାବ ଦେଖାଯାଏ । ଏଣୁକରି ବହୁ ଯତ୍ନ ଓ ଅର୍ଥ ବ୍ୟୟ ପୂର୍ବକ ବର୍ତ୍ତମାନ ଉକ୍ତ ପୁସ୍ତକଗତ ବିଷୟାନୁରୂପ ଉପଯୁକ୍ତ ସ୍ଥଳମାନଙ୍କରେ ଅତି ସୁନ୍ଦର ଚିତ୍ରମାନ ପ୍ରଦତ୍ତ ଓ ବିଶୁଦ୍ଧରୂପେ ଏଠାରେ ମୁଦ୍ରିତ ହୋଇଅଛି । ନୀତି ଉପଦେଶ, କର୍ତ୍ତବ୍ୟ ବ୍ୟବହାରାଦି ଶିକ୍ଷାଦାନରେ ଏପରି ଗ୍ରନ୍ଥ ଓଡ଼ିଆରେ ଆଉ ଦ୍ୱିତୀୟ ନାହିଁ । ଶିକ୍ଷାର୍ଥୀ ଅଳ୍ପବୟସ୍କ ବାଳକ ବ୍ୟତୀତ କର୍ତ୍ତବ୍ୟପରାୟଣ ଗୃହସ୍ଥମାନଙ୍କର ମଧ୍ୟ ଏହା ନିତାନ୍ତ ପ୍ରୟୋଜନ ଅଟେ । ମୂଲ୍ୟ ଛଅ ଅଣା ମାତ୍ର ।

ଚାଟଶାଳୀପାଠ- ଏହା କେତେକ ସ୍ଥଳେ ଛାପା ହୋଇ ବିକ୍ରୟ ହେଉଅଛି ସତ୍ୟ, ମାତ୍ର ଅନ୍ୟାନ୍ୟ ଚାଟଶାଳୀପାଠ ଅପେକ୍ଷା ଅବଶ୍ୟ ଏ ଉତ୍‌କୃଷ୍ଟ ବୋଲି କହିବା ଅସଙ୍ଗତ ନୁହେ । କାରଣ ଏହା ସ୍ଥଳବିଶେଷେ ବିଶେଷରୂପେ ଅଦ୍ୟୋପାନ୍ତ ସଂଶୋଧିତ ଓ ବିଷୟମାନ ବର୍ଦ୍ଧିତ କରା ଯାଇଅଛି । ପୁଣି ପ୍ରଥମପାଠୀ ବାଳକମାନଙ୍କ ମନୋରଞ୍ଜନ ସକାଶେ ବର୍ଣ୍ଣପରିଚୟର ସ୍ଵର ବ୍ୟଞ୍ଜନ ପ୍ରତ୍ୟେକ ବର୍ଣ୍ଣରେ ଗୋଟିଏ ଗୋଟିଏ ଚିତ୍ର ମଧ୍ୟ ସନ୍ନିବେଶିତ ହୋଇଅଛି । ଅପେକ୍ଷାକୃତ ଏହାର ଅବୟବ ବୃହତ୍‌ ହୋଇ ସୁଦ୍ଧା ସାଧାରଣ ମୂଲ୍ୟ ଟ ୦/୬ ନିର୍ଦ୍ଧାରିତ ହୋଇଅଛି ।

ଏହି ପ୍ରେସରେ ମୁଦ୍ରିତ ପୁସ୍ତକମାନ କେହି ଏକକାଳୀନ୍‌ ଅଧିକପରିମାଣେ କ୍ରୟ କଲେ ତାଙ୍କୁ ପ୍ରଚୁର କମିଶନ ଦିଆଯାଏ । ଗ୍ରାହକେ ! ଥରେ କାରବାର କରି ପରୀକ୍ଷା କରନ୍ତୁ ।

ଶୁକଦେବ ରାମ, ପ୍ରୋପ୍ରାଇଟର-

ଏଡଓୟାର୍ଡ ପ୍ରେସ ନୟାସଡ଼କ, କଟକ